ଓଡିଆ କାହାଣୀ

ଓଡିଆ କାହାଣୀ

Sunday, February 21, 2016

କୁନୀ ଝିଅ ପରୀ ଓ ତା ସାଙ୍ଗ ଭାଲୁ

No comments :
ପରୀ ବୋଲି ଗୋଟିଏ କୁନି ଝିଅ ଥିଲା। ତାର ଗୋଟିଏ ବଡ ଖେଳଣା ଭାଲୁ ଥିଲା। ପରୀର ସେ ବଡ ସାଙ୍ଗ ଥିଲା। ପରୀ ଓ ଭାଲୁ ଏକା ସାଙ୍ଗରେ ରହୁଥିଲେ। ଦିନେ ପରୀ ଭାଲୁକୁ ସାଙ୍ଗରେ ନେଇକି ବଗିଚାକୁ ଗଲା। ସେଠାରେ ବହୁତ ଫୁଲ ଫୁଟିଥିଲା , ସେଥିରୁ ତାକୁ ଗୋଟିଏ ଗୋଲାପି ରଙ୍ଗର ଗୋଲାପ ଫୁଲ ବହୁତ ଭଲ ଲାଗିଲା। ସେ ଫୁଲକୁ ଦେଖୁ ଦେଖୁ ହଠାତ ଆକାଶ ଆଡେ ଚାହିଁଲା ଓ ସେ ଭାଲୁକୁ କହିଲା ଦେଖ ଆକାଶ କେମିତି ନୀଳ ଦେଖାଯାଉଛି ଓ ଦୁହେଁ ମିଶି ଆକାଶକୁ ଚାହିଁଲେ ଓ ଦେଖିଲେ ଉପରେ ଗୋଟିଏ ପ୍ରଜାପତି ଉଡୁଛି ଓ କେତେ ସୁନ୍ଦର ହୋଇଛି। ସେଇ ପ୍ରଜାପତିର ଡେଣା ଗୁଡିକ ବହୁତ ସୁନ୍ଦର ଦେଖାଯାଉଥିଲା। ସେହି ପ୍ରଜାପତି ଏ ଫୁଲ ରୁ ସେ ଫୁଲ ବୁଲି ବୁଲି ଖେଳୁ ଥିଲା, ପରୀକୁ ପ୍ରଜାପତି ବହୁତ ଭଲ ଲାଗିଲା। ସେହି ବଗିଚାର ଘାସ ଗାଲିଚା ବହୁତ ଭଲ ଥିଲା, ସେଥିପାଇଁ ସେମାନଙ୍କୁ ଘାସରେ ଚାଲିବାକୁ ଭଲ ଲାଗୁଥିଲା। ଘାସର ରଙ୍ଗ ସବୁଜ ଥିଲା ସେହି ସବୁଜ ଘାସକୁ ସେମାନେ ଦେଖି ବହୁତ ଖୁସି ହୋଇ ସେଠାରେ ବସିଲେ ଓ କିଛି ସମୟ ପରେ ଘରକୁ ଫେରିଆସିଲେ।

Friday, February 19, 2016

ଜନ୍ମଦିନ ଉପହାର

No comments :
ମୁନା ଓ ରିନା ସ୍କୁଲରୁ ଆସିଲେ ଆଉ ଦେଖିଲେ ମା ଚୁଲି ଫୁଙ୍କୁଛନ୍ତି ଓ ଘର ସାରା ଧୂଆଁ ଭର୍ତି ଅଛି, ମା' ଙ୍କ  ଆଖିରୁ  ଲୁହ ବାହାରୁଛି । ରିନା ପଚାରିଲା ମା ଆମର ଗ୍ୟାସ ଚୁଲା କାହିଁକି ଆଣୁନ? ଗୀତାର ମା କେତେ ଆରାମରେ ଗ୍ୟାସରେ ଭାତ ରାନ୍ଧୁଛନ୍ତି । ମା କହିଲେ ଗ୍ୟାସ ଚୁଲା ବେଶୀ ପଇସା ଦେଇ କିଣିବାକୁ ପଡିବ, ଏତେ ପଇସା ମୁଁ କେଉଁଠୁ ଆଣିବି? ମୁନା କହିଲା ମା ଅଙ୍ଗାର ଆଣୁନ ସେଥିରେ ଆଗରେ ଟିକେ ଧୂଆଁ ବାହାରେ ଓ ତାପରେ ଆରାମରେ ରୋଷେଇ କରିପାରିବେ। ମା କହିଲେ ପୁଅ ଅଙ୍ଗାର ଦୋକାନରେ ନାହିଁ ସେଥିପାଇଁ ମୁଁ ଏ ଗୋବର ଘଷିରେ ରୋଷେଇ କରୁଛି ତୁମେ ଦୁଇ ଜଣ ବାହାରେ ଟିକେ ବସ ମୁଁ ତୁମ ପାଇଁ ଖାଇବା ନେଇକି ଆସୁଛି। ଭାଇ ଭଉଣୀ ଦୁହେଁ ମିଶି ବାହାରେ କଥା ହେଲେ, "ମା ଆମ ଜନ୍ମ ଦିନରେ ଆମ ପାଇଁ କେତେ ଜିନିଷ ଉପହାର ଦେଉଛନ୍ତି ହେଲେ କେବେ ହେଲେ ତାଙ୍କର ଜନ୍ମଦିନ ପାଳୁନାହାନ୍ତି!"  ଆଉ ଏଥର ଆମେ ମିସିକି ଗୋଟିଏ ଷ୍ଟୋଭ କିଣିକି ଦେବା ଓ ସେଥିରେ ମାଙ୍କୁ ଆଉ ଧୂଆଁରେ ରୋଷେଇ କରିବାକୁ ପଡିବନି। ମୂନା କହିଲା ଏତେ ପଇସା କେଉଁଠୁ ଆଣିବା? ରିନା କହିଲା ମୋ କଥା ଶୁଣ ଆମେ ଦୁଇ ଜଣଙ୍କୁ ସ୍କୁଲ ଗଲାବେଳେ ଯେଉଁ ପଇସା ଦିଅନ୍ତି ସେହି ପଇସା ଖର୍ଚ ନକରି ଜମେଇକି ରଖିବା, ଆଉ ଦୁଇ ମାସରେ ଆମେ ଷ୍ଟୋଭ କିଣିପାରିବା ଓ ଜନ୍ମ ଦିନରେ ମାଙ୍କୁ ଉପହାର ଦେବା। ମୁନା କହିଲା ଆଜିଠୁ କିଛି ପଇସା ଖର୍ଚ ନକରି ସବୁ ପଇସା ଦୁହେଁ ମିଶି ରଖିବା ଓ ଷ୍ଟୋଭ କିଣିବା।

କିଛି ଦିନ ପରେ ମାଙ୍କ ଜନ୍ମ ଦିନ ଆସିଲା ରିନା ମାଙ୍କୁ ପାଚିରିଲା ମା ତୁମ ଜନ୍ମ ଦିନ କାହିଁକି ପାଳୁନ? ମା କହିଲେ ଘର ଖର୍ଚ ବହୁତ କଷ୍ଟରେ ଚଳେଇବାକୁ ପଡୁଛି ଆଉ ସେଥିରେ ମୋ ଜନ୍ମ ଦିନ କେମିତି ପାଳିବି। ରିନା କହିଲା ମା ଆମେ ତୁମର ଜନ୍ମ ଦିନ ପାଳନ କରିବୁ ତୁମେ ଖିରୀ ବନେଇଦିଅ ଆଉ ଆମେ ଫୁଲ ଆଣି ହାର ବନେଇଦେବୁ। ମା କହିଲେ ମୁଁ ଖିରୀ ବନେଇଦେବି କିନ୍ତୁ ଜନ୍ମଦିନ କଥା ଛାଡ! ମା ଖିରୀ ବନେଇଦେଲେ ଓ ସେହି ସମୟରେ ରିନା ଓ ମୁନା ଦୁହେଁ ଗୋଟିଏ ଭଲ ଫୁଲ ହାର ଗୁନ୍ଥିଲେ, ତାପରେ ମୁନା ମାଙ୍କୁ ଡାକିଲା ଓ ଚୌକି ଉପରେ ବସାଇ ମାଙ୍କୁ ଫୁଲ ହାର ଦୁହେଁ ମିସିକି ପିନ୍ଧାଇ ଦେଲେ, ରିନା ଖଟ ତଳେ ପୂର୍ବରୁ କିଣିଥିବା ଷ୍ଟୋଭକୁ ଆଣି ମାଙ୍କୁ ଦେଇ କହିଲେ ଏହି ନିଅ ତୁମର ଜନ୍ମଦିନ ଉପହାର। ମା ଯେମିତି ଜାଣିଲେ ତାଙ୍କ ଛୁଆ ମାନେ ପଇସା ଖର୍ଚ ନକରି ଷ୍ଟୋଭ କିଣିଛନ୍ତି ସେ  ବହୁତ ଖୁସି ହୋଇଗଲେ ଓ କହିଲେ ଏମିତି ଯଦି ସବୁ ଛୁଆ ମାନେ କରନ୍ତି ଆଉ କେଉଁ ମା ଦୁଖରେ ରହିବେନି ।